Unknown

 

 

 

 

 

 

 

 

 

ବ୍ୟଙ୍ଗ କବିତା

ଭକ୍ତକବି ମଧୁସୂଦନ ରାଓ

 

‘‘ସାବାସ୍‌ ସାହିତ୍ୟଚର୍ଚ୍ଚା ସାବାସ୍‌ ସାବାସ୍‌’’

 

ଭଲ ଅଲାଜୁକ ଲେଖକେ ବୃଥା ଭିଆଇ କଳି,

ଅମ୍ଳାନ-ବଦନେ ପବିତ୍ର ନୀତି ଚରଣେ ଦଳି ।

ବାହାଦୂରି ନେବା ଆଶ୍ରୟେ ହୋଇଅଛ ବାହାର,

ବାହାପିଆ-କୁଳଭୂଷଣ, ତୁମ୍ଭ ପଦେ ଜୁହାର ।

ଦୁଷ୍ଟ ବାଣୀ କୋଠଭଣ୍ଡାରୁ ବାଛି ଅବାଚ୍ୟ କଥା

କି ଖେଳ ଖେଳୁଛ ଲେଖକେ ଧନ୍ୟ ସୁରୁଚି ପ୍ରଥା ।

ହ୍ରୀମତୀ ପ୍ରକୃତିଦେବୀର ଲଜ୍ଜା-ବସନ ଫେଇ

ମାରାତ୍ମକ ଚିତ୍ର ଚିତ୍ରୁଛ ମାର-ତୂଳିକା ଦେଇ !

ରଞ୍ଜୁଅଛ ଆହା କି ରଙ୍ଗେ ସେହି ବିଭତ୍ସ ଚିତ୍ର

ଉତ୍କଳ-ସାହିତ୍ୟ ହେଲା କି ଏତେଦିନେ ପବିତ୍ର !

ଭୂଷଣ(୧) ନାମରେ ଦୂଷଣ କେହି ଅଟ ମାୟାବୀ,

କେଶରିଚର୍ମରେ ରାସଭ କର ଭୀଷଣ ଦାବୀ ।

ଗର୍ଜନ ତର୍ଜନ କରିଣ ବହି ସୁରୁଚି ବାନା

କୁରୁଚି-ନର୍ଦମା-କର୍ଦମେ ପଡ଼ି ଗଡ଼ୁଛ ସିନା !

ଯୁବରାଜ(୨) ଶୁଭେ ବିରାଜି ଭଞ୍ଜକାବ୍ୟକୁଞ୍ଜରେ

କି କ୍ରୀଡ଼ା କରୁଛ ଶୁଭଗ, ବ୍ରୀଡ଼ାଛଡ଼ା ଖଞ୍ଜରେ !

ବ୍ରଜରାଜ ପ୍ରାୟେ କାହାର ଅଙ୍କ ଉଜଳି ଭଲେ

ଭଣ୍ଡ ଭାଗବତ ଭାଷୁଛ ମିଶି ରସିକପଲେ ।

ମାକଡ଼ସା ପ୍ରାୟେ କେହି ବା ନିଜ ଜାଲେ ଜଡ଼ିତ,

ଜଟିଳ କୁଟିଳ ଗୋଲକ-ଧନ୍ଦା(୩) ରଚି ତ୍ୱରିତ,

କହୁଅଛ ‘ଦେଖ ଦେଖ ରେ, ପୂତ କାମାଖ୍ୟା ପୂରୀ,

ମେଣ୍ଡା ହୋଇଯାଅ ଭେଣ୍ଡାଏ ଦେଖି ବ୍ୟାଖ୍ୟାଚାତୁରୀ ।’

ହଉ ହଉ ମାତି ବୀଭତ୍ସେ ଯାଅ ଯାଅ ହେ ଢାଳି,

ମଳ ମୂତ୍ର କ୍ଳେଦ କୁତ୍ସିତ ସୁଖେ ବଜାଇ ତାଳି ।

ଲଜ୍ଜା ଭକ୍ତି ପୁଣି ସାରଲ୍ୟେ ଫିଙ୍ଗି ଦେଇଣ ଦୂରେ,

‘ହିପ୍‌ ହିପ୍‌ ହୁର୍‌ରେ’ ଗାଅ ରେ କଳିଯୁଗିଆ ଶୂରେ ।

ଭାବୀ ବଂଶଧରନିକରେ ନିତ୍ୟ ଆନନ୍ଦଭରେ

ତୁମ୍ଭ ନର୍ଦମାର କର୍ଦମ ପାଣି ପିଆଅ ଖରେ ।

ତୁଳସୀ ସମୂଳେ ଉପାଡ଼ି ରୋପ ବିଛୁଆତିକି,

ଦୁଇ ପତ୍ରବେଳୁ କୁଣ୍ଡାଇ ହେବ ସିନା ଏତିକି ।

ନଦୀ ପ୍ରସ୍ରବଣ ମୂଳକୁ ଫିଙ୍ଗ ନର୍ଦମା ପଙ୍କ,

କାଳେ ସ୍ରୋତ ହେବ ନିର୍ମଳ, ହୃଦେ ଏହି ଆତଙ୍କ ।

ମୁରାରି ଭଣଇ, ସ୍ୱର୍ଗକୁ ଜିଣି ଯା ଗରୀୟସୀ,

ଜନ୍ମଭୂମି ପୁଣି ଜନନୀ ତାଙ୍କ ପାଦ ପରଶି ।

ଦେଉଅଛି ମୁହିଁ ଦୋହାଇ ତାଙ୍କ ପବିତ୍ର ନାମେ,

ପୁଣ୍ୟ ଶ୍ରୀ ହ୍ରୀ ପୁଣି ଭକତି ରହୁ ସାହିତ୍ୟ-ଧାମେ * ।

(୧) ‘କବିଭୂଷଣ’ ନାମଧାରୀ ଜଣେ ଲେଖକ ।

(୨) ‘ଯୁବରାଜ’ ମୁଖାଧାରୀ ଲେଖକ ।

(୩) ‘ଗୋଲକଧନ୍ଦା’ ବା ଗୋ-ଇନ୍ଦ୍ରଧନୁର ଜଣେ ପ୍ରଧାନ ଲେଖକ ।

* ଏହି ପଦ୍ୟଟି ଏବଂ ପରବର୍ତ୍ତୀ କାବ୍ୟାଂଶ ଉତ୍କଳର ପ୍ରସିଦ୍ଧ ଭଞ୍ଜୀୟ ଆନ୍ଦୋଳନକୁ ଲକ୍ଷ୍ୟ କରି ଲିଖିତ ହୋଇଥିଲା ।

Image

 

ଭଣ୍ଡରସାୟନ କାବ୍ୟ

 

ଉତ୍କଳ ସାହିତ୍ୟକ୍ଷେତ୍ରେ ଲାଗିଛି ସମର,

ଅବ୍ଦବ୍ୟାପୀ ଶବ୍ଦମୟ ମହାଭୟଙ୍କର ।

କୁକ୍ଷଣେ ସୁରୁଚିଧ୍ୱଜୀ ଲାଲାଜୀ ଭୀଷଣ

ମନ୍ତ୍ର-ପରତନ୍ତ୍ର ରଣ-ରଥି ବିଚକ୍ଷଣ ।

ଭଞ୍ଜକୀର୍ତ୍ତି-ବିଭଞ୍ଜନ-ବ୍ୟାପାର-ପ୍ରୟାସୀ,

ସମରପ୍ରାଙ୍ଗଣେ ରଙ୍ଗେ ଦେଖାଦେଲେ ଆସି ।

ବଜାଇଲେ ନୀତି-ଭେରୀ ଗରଜି ଭୈରବେ,

ଚକିତେ ଗୋଲକଧନ୍ଦା ଶୁଣିଲେ ସେ ରବେ ।

ବୃଷଭଗର୍ଜନ ଶୁଣି ବୃଷଭ ଯେସନ,

ପୁଙ୍ଗବ ଗୋଲକଧନ୍ଦା ଗରଜି ତେସନ ।

ମିଳିଲେ ନଛୋଡ଼ବନ୍ଦା ସମରଚତ୍ୱରେ,

ଏହିରୂପେ ବାକ୍ୟଯୁଦ୍ଧ ଉପୁଜିଲା ଖରେ ।

ରେରେକାର ଶବ୍ଦେ ଧନ୍ଦା ବୋଇଲେ ସକୋପେ,

‘‘ସୂଚ୍ୟଗ୍ର ପ୍ରମାଣ ଦୋଷ ଭଞ୍ଜେ ଯେ ଆରୋପେ ।

ସେ ଉତ୍କଳକୁଳାଙ୍ଗାର ମୂଢ଼ ଅବିବେକ,

ନ ଜାଣଇ ନିଷ୍କଳଙ୍କ ଭଞ୍ଜକବି ଟେକ ।

ତୁ କି ଜାଣିବୁ ରେ ଲାଲା, ଉପେନ୍ଦ୍ର ଗୌରବ,

ପୁଂସ-ପୁଂସୀମଣିଙ୍କର ପୀରତି-ସୌରଭ ?

ଆରେ ଲାଲା ରାୟ-ଚେଲୀ ! ହୁଅ ସାବଧାନ,

ନୋହିଲେ ହୋଇବ ଲଙ୍କାକାଣ୍ଡର ବିଧାନ ।’’

ଥାଇ ବୋଇଲେ ଲାଲାଜୀ, ‘‘ଆରେ ଧନ୍ଦାସୁର,

ଅଲାଜୁକ ମାରଶିଷ୍ୟ ବିଷ-ବୀଜାଙ୍କୁର

ରେ ଅନ୍ଧ ଗୋଲକଧନ୍ଦା, ଦେଖିଛୁ କି ଫେଡ଼ି ?

ଗୌରବପୂରିତ ଭଞ୍ଜଗୌରବର ପେଡ଼ି ?

ଦେଖିଥିଲି ଥରେ ବସ୍ତ୍ର ନାସିକାରେ ଗୁଞ୍ଜି,

ପୁଂସ ପୁଂସୀ ଭିଡ଼ାଭିଡ଼ି ଭଞ୍ଜକାବ୍ୟପୁଞ୍ଜି

ନାଗର-ବିଲୁଆଙ୍କର ହୁକେଁ ହୁଁ ଶବଦ,

ନାଗରୀ-କୁକ୍‌କୁରୀଙ୍କର ଇଷି ଇଷି ପଦ ।

ଆଚୁଁଡ଼ା ଆଚୁଁଡ଼ି ପୁଣି କାମୁଡ଼ା କାମୁଡ଼ି,

ପରସ୍ପର ଚଟାଚଟି ପୁଣି ଗଡ଼ାଗଡ଼ି ।

ଏ ବୀଭତ୍ସ ବ୍ୟାପାରର କ୍ଳେଦମୟ ଗନ୍ଧ

ଅସୁର ନିକଟେ ସିନା ଅଟଇ ସୁଗନ୍ଧ ।’’

ଦୁର୍ଯ୍ୟୋଧନ ପ୍ରାୟେ ମାନୀ ଧନ୍ଦା ମହାବୀର

ଜର୍ଜର ଦାରୁଣ ରୋଷେ ବୋଲେ ଭୀମଗିର ।

‘‘ଆରେ ଲାଲା ଅବିନୀତ ! ଏଡ଼େ ତୋ ବଡ଼ାଇ,

ରହ ରହ କ୍ଷଣେ, ଗର୍ବ ଦେବି ତୋ ଛଡ଼ାଇ ।

ଭଞ୍ଜଶିଷ୍ୟଗଣେ ଯେବେ ଶୁଣିବେ ତୋ କଥା

ତୁ କି ଛାର, ନ ରହିବ ତୋର ଗୁରୁ ମଥା !’’

ଏଥୁଅନ୍ତେ ପରସ୍ପରେ ଚାହିଁ କଟମଟେ,

ସୁମରିଲେ ଯେଝା ମିତ୍ରେ ଏ ମହାସଙ୍କଟେ ।

ସ୍ମରଣମାତ୍ରକେ ମିତ୍ରେ ପତ୍ରିକାକ୍ଷେତ୍ରରେ

ଗୋଲକାଲାଲକାଶ୍ଚୈବ ମିଳିଲେ ସତ୍ୱରେ ।

ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯେସନ ଦ୍ୱାପରେ

କୌରବାଃ ପାଣ୍ଡବାଶ୍ଚୈବ ପ୍ରଚଣ୍ଡ ସମରେ

ଲାଗିଲା ମନ୍ତ୍ରଣା ତହୁଁ ଉଭୟ ଶିବିରେ;

ଯୁଝିବେ ଏ ମହାଯୁଦ୍ଧେ କେଉଁ କେଉଁ ବୀରେ ।

କି ଅସ୍ତ୍ର ପ୍ରୟୋଗେ ହେବ ରିପୁ ପରାଭବ,

କି କୌଶଳ ଜଣାଯିବ ଏ ମହାଆହବ ।

ଗୋଲକ ଶିବିରେ ଲାଗିଥିଲା କୋଳାହଳ,

କିନ୍ତୁ ଏ କି ସହସା ଯେ ହୋଇଲା ନିଶ୍ଚଳ ।

ସମ୍ମୁଖେ ହୋଇଲେ ଉଭା ଛଇଳାମଣିର

ଭୁରୁ ସମ ଇନ୍ଦ୍ରଧନୁ ହସ୍ତେ ଧରି ବୀର ।

ଆଦିରସ-ରସାତଳ-ଅତଳ-ବିତଳ-

ମନ୍ଥନକୁଶଳ ଅଭିନବ ଆଖଣ୍ଡଳ ।

ପୀରତିଆ ନାମେ ଶୂର ଭଞ୍ଜ-ଅନ୍ତେବାସୀ,

ଉଲ୍ଲାସେ କହଇ, ‘‘ଦେଖ ଯୋଧୃବୃନ୍ଦେ ଆସି ।

ମନ୍ତ୍ରପୂତ ଏହି ଧନୁ କଟାକ୍ଷସଙ୍ଗତ

ବ୍ୟାଖ୍ୟାଶରେ ହେଲେ ଯୁକ୍ତ ଜିଣେ ତ୍ରିଜଗତ ।’’

ଦର୍ଶନେ ଅବାକ ହୋଇ କ୍ଷଣେ ଯୋଧୃଚୟ

ଆଶା ଆନନ୍ଦରେ ମାତି ବୋଲନ୍ତି ନିଭୟ–

‘‘ପୀରତିଆରୂପୀ ଇନ୍ଦ୍ର ଧନ୍ୟ ଧନୁର୍ଦ୍ଧର !

ହେଲୁଁ ଆଜିଠାରୁ ସର୍ବେ ତୁମ୍ଭ ଅନୁଚର,

ଯୋଗାଇବୁଁ ମୁହୁର୍ମୁହୁଃ ବ୍ୟାଖ୍ୟରୂପ ଶର ।’’

ତେଣେ ଉପୁଜିଲା ତ୍ରାସ ଲାଲାଶିବିରରେ

ଧନୁ ଆସ୍ଫାଳନ ଦେଖି ବିପକ୍ଷଦଳରେ ।

କି ହେବ କି ହେବ ବୋଲି ପଡ଼ିଗଲା ରଡ଼ି,

ଶର୍ମା ନାମେ ମର୍ମାନ୍ୱେଷୀ ପକାଇଣ ଖଡ଼ି ।

ବୋଇଲେ ସେ ଆଶୁଦେବ ବିନା ନାହିଁ ଗତି,

ଶରଣ ପଶ ହେ ସର୍ବେ ଯାଇ ତାଙ୍କ କତି ।

 

ଶରଣବତ୍ସଳ ଦେବ ସ୍ମରଣମାତ୍ରକେ

ଉପସ୍ଥିତ ହେଲେ ଆସି ଲାଲାଙ୍କ କଟକେ ।

ବୋଇଲେ, ‘‘ଦେଖ ଏ ଅସ୍ତ୍ର ବିଜୁଳି ସୁନ୍ଦର,

ଅନୁଗତ ଯାର ନିତ୍ୟ ବଜ୍ର ଭୟଙ୍କର,

ବିଜୁଳିର ଉପହାସ ସଙ୍ଗେ ବଜ୍ରନାଦୀ

ଗୋଟା କେତେ ଭାଷ୍ୟ ଘେନି ହୁଅ ହେ ବିବାଦୀ ।’’

ଆହ୍ଲାଦେ ଗରଜି ସର୍ବେ ରୁଚିଧ୍ୱଜୀ ବୀରେ

ହାସ୍ୟଭାଷରଙ୍ଗେ ତହୁଁ ମାତିଲେ ଅଧୀରେ ।

ଇନ୍ଦ୍ରଧନୁ ବ୍ୟାଖ୍ୟା ପୁଣି ବିଜୁଳିର ଭାଷ୍ୟ

ପରସ୍ପର ଯୁଦ୍ଧଫଳ କ୍ରମଶଃ ପ୍ରକାଶ୍ୟ ।

Image